ଲୋକତନ୍ତ୍ର (ବ୍ୟୁରୋ) : ରାଜ୍ୟରେ ଚାଲିଛି ୨ୟ ପର୍ଯ୍ୟାୟ ମତଦାନ । ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସହ ଏସବୁ କ୍ଷେତ୍ରରେ ଥିବା ୩୫ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ । ଲୋକସଭା ପାଇଁ ୪୦ଜଣ ପ୍ରାର୍ଥୀ ଲଢୁଥିବା ବେଳେ ବିଧାନସଭା ପାଇଁ ୨୬୫ ଜଣ ପ୍ରାର୍ଥୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବି ଭୋଟ ।
ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ ପ୍ରତିଶତ ମତଦାନ ହୋଇଛି । ଯେଉଁଥିରେ ଝାରସୁଗୁଡ଼ାରେ ସର୍ବାଧିକ ୯.୮୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ସୁନ୍ଦଗରଗଡ଼ରେ ୪.୮୯ ପ୍ରତିଶତ ମତଦାନ ହୋଇଛି । ସେହିପରି ବଲାଙ୍ଗୀରରେ ୫.୭୬ ପ୍ରତିଶତ , ଆସ୍କାରେ ୭.୬୨ ପ୍ରତିଶତ, ବରଗଡ଼ରେ ୯.୩୧ ପ୍ରତିଶତ, କନ୍ଧମାଳରେ ୬.୭୯ ପ୍ରତିଶତ ରେକର୍ଡ ହୋଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ରାଜ୍ୟରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ । ୫ଟି ଲୋକସଭା ଆସନ ମଧ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ରହିଛି । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି ରହିଛି ।
ସମ୍ବେଦନଶୀଳ ବିଥଗୁଡିକରେ ସକାଳ ୭ଟାରୁ ମତଦନ ଆରମ୍ଭ ହୋଇ ୪ଟାରେ ସରିବ। ଅନ୍ୟ ସମସ୍ତ ବୁଥରେ ୬ଟାରେ ମତଦାନ ସରିବାକୁ ଥିବା ବେଳେ କିଛି ବୁଥରେ ୫ଟାରେ ଶେଷ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍ରୁ ପ୍ରାୟ ୨୦% ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
୬୦% ବୁଥ୍ରେ ୱେବ୍ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯିବ। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି। ୯୩୩ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଏବଂ ୧୬୮୯ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ନିଷ୍ପତ୍ତି ହୋଇଛି।