ଲୋକତନ୍ତ୍ର (ବ୍ୟୁରୋ) : ରାଜ୍ୟରେ ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ପ୍ରଚାରରେ ପୂରା ଓଡ଼ିଶା ଏବେ ଉଠୁଛି ପଡ଼ୁଛି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଜୋର୍ଦାର କରିଛନ୍ତି। ବିଜେପି ପାଇଁ ମୋଦୀ, ଶାହଙ୍କ ସମେତ ହେଭିୱେଟ୍ମାନେ ଘନ ଘନ ଓଡ଼ିଶା ଗସ୍ତ କରୁଥିଲା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସି ନେତା ଓ କର୍ମୀଙ୍କୁ ବଳ ଦେଉଛନ୍ତି।
ଆଜି ହାଇଭୋଲ୍ଟେଜ୍ ପ୍ରଚାର ଦେଖିବାକୁ ମିଳିବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋରଡ଼ାରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ। ତା' ସହ କଟକରେ ବିଶାଳ ରୋଡ୍ ସୋ'ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ।
ଶାହ ୧୯ ତାରିଖରେ ପୁଣି ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ବୁଧବାର ଦିନ ଭୁବନେଶ୍ବରରେ ପହଞ୍ଚି ଦଳୀୟ କର୍ମଶାଳାରେ ଯୋଗ ଦେବେ। ସେ ୧୬ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ଓ ସୁନ୍ଦରଗଡ଼ରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଗସ୍ତ କରିବେ। ସେଠାରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରିବେ। ନବୀନ ପୁଣି ୧୭ ତାରିଖରେ ସମ୍ବଲପୁର ଯିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ବିତୀୟ ଥର ପାଇଁ ନିର୍ବାଚନ ପ୍ରଚାରରେ ଆଜି ଓଡ଼ିଶା ଆସିବେ। ସେ ବଲାଙ୍ଗୀରରେ ହେବାକୁ ଥିବା ଜନସଭାକୁ ଉଦ୍ବୋଧନ ଦେବେ। ଗୋଟିଏ ଦିନରେ ତିନି ଦଳର ହେଭିୱେଟ୍ମାନଙ୍କର ପ୍ରଚାରକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି।