ଲୋକତନ୍ତ୍ର (ବ୍ୟୁରୋ) : ଆଜି ଏପ୍ରିଲ ୨୫ ତାରିଖ, ଅର୍ଥାତ ବିଶ୍ୱ ପେଙ୍ଗୁଇନ ଦିବସ। ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଓ ବିରଳ ପକ୍ଷୀ ହେଉଛି ପେଙ୍ଗୁଇନ୍। ଯୁଦ୍ଧାସ୍ତ୍ର ବ୍ୟବହାର ଓ ମାନବକୃତ ବିଭିନ୍ନ ରାସାୟନିକ କାର୍ଯ୍ୟକଳାପର କୁପ୍ରଭାବ ସମୁଦ୍ର ଓ ଜଳବାୟୁ ଉପରେ ପଡୁଛି। ଫଳରେ ଆଟ୍ଲାଣ୍ଟିକର ଗ୍ଲେସିୟର ତରଳିବାରେ ଲାଗିଛି। ଏହାର କୁପ୍ରଭାବରେ ସମୁଦ୍ରିକ ପରିବେଶ ବିଗିଡ଼ିବାରେ ଲାଗିଛି। ତେଣୁ ବିଲୁପ୍ତପ୍ରାୟ ହୋଇ ଯାଇଥିବା ପେଙ୍ଗୁଇନ୍ମାନଙ୍କ ଅସ୍ଥିତ୍ୱ ଉପରେ ବିପଦ ସୃଷ୍ଟି ହୋଇଛି।
ପେଙ୍ଗୁଇନ୍ ମୁଖ୍ୟତଃ ଦକ୍ଷିଣ ଗୋଲାର୍ଦ୍ଧରେ ବାସ କରନ୍ତି। ୧୭ରୁ ୧୯ ପ୍ରଜାତିର ପେଙ୍ଗୁଇନ୍ ଦେଖା ଯାଆନ୍ତି। କ୍ଷୁଦ୍ର ନୀଳ ପେଙ୍ଗୁଇନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଦେଖିବାକୁ ମିଳୁଥିବା ବେଳେ ଗ୍ରେଟ୍ ଏମ୍ପରର ପେଙ୍ଗୁଇନ୍ ଓ କିଙ୍ଗ୍ ପେଙ୍ଗୁଇନ୍ ଆଣ୍ଟାର୍ଟିକା ସମେତ ଅନେକ ଉପ-ଆଣ୍ଟାର୍ଟିକା ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳନ୍ତି। ଏହି ଅଞ୍ଚଳରେ ମହାସାଗର ଓ ତା'କୂଳରେ ସେମାନେ ସାଧାରଣତଃ ବସବାସ କରନ୍ତି। ଅନ୍ୟ କିଛି ଦ୍ୱୀପପୁଞ୍ଜ ଓ ମାଳଅଞ୍ଚଳରେ ମଧ୍ୟ ପେଙ୍ଗୁଇନ୍ ବାସ କରନ୍ତି, ଯେଉଁଠାରେ କୋକିଶିଆଳ ଓ କୁକୁର ଭଳି ଭୂପୃଷ୍ଠର ଶିକାରୀ ପେଙ୍ଗୁଇନ୍ର ଉଡ଼ିବାରେ ଅକ୍ଷମତାର ସୁଯୋଗ ନେଇ ତା' ଜୀବନପ୍ରତି ବିପଦ ସାଜିଥାଆନ୍ତି। ଆଫ୍ରିକୀୟ ପେଙ୍ଗୁଇନ୍ ଏହି କାରଣରୁ ଏବେ ବିଲୁପ୍ତ। ବର୍ତ୍ତମାନ ଗାଲାପାଗୋସ୍ ପେଙ୍ଗୁଇନ୍ ହେଉଛି ବିଷୁବରେଖାର ଉତ୍ତରରେ ଦେଖିବାକୁ ମିଳୁଥିବା ଏକମାତ୍ର ପ୍ରଜାତିର ପେଙ୍ଗୁଇନ୍। ତେବେ ପେଙ୍ଗୁଇନ ପାଇଁ ସମୁଦ୍ର ହେଉଛି ସବୁଠୁ ଅନୁକୂଳ ସ୍ଥାନ। କେତେକ ପେଙ୍ଗୁଇନ୍ ପ୍ରଜାତି ସମୁଦ୍ର ଭିତରେ ଏକମାସ ବିତାଇ ପାରନ୍ତି।
ସଂପର୍କ ବାବଦରେ ପେଙ୍ଗୁଇନ୍ ନିଆରା। ପେଙ୍ଗୁଇନ୍ ସାଧାରଣତଃ ବର୍ଷକୁ ନିଜପାଇଁ ଗୋଟିଏ ସାଥୀ ନିଜପାଇଁ ଚୟନକରେ ଓ ତା' ସହିତ ସମ୍ପର୍କ ରଖେ। ମେ' କିମ୍ବା ଜୁନ୍ ମାସରେ ମାଈ ପେଙ୍ଗୁଇନ୍ ଗୋଟିଏ ଅଣ୍ଡା ଦିଏ। ଅଣ୍ଡା ଦେଇସାରି ମାଈ ପେଙ୍ଗୁଇନ୍ ଅଣ୍ଡାକୁ ପୁରୁଷ ପେଙ୍ଗୁଇନ୍କୁ ହସ୍ତାନ୍ତର କରିଦିଏ ଏବଂ ଖାଦ୍ୟ ଖୋଜି ସମୁଦ୍ର ଭିତରକୁ ଚାଲିଯାଏ। ପୁରୁଷ ପେଙ୍ଗୁଇନ୍ ପ୍ରାୟ ୬୫ ଦିନ ପର୍ଯ୍ୟନ୍ତ ସେ ଅଣ୍ଡାକୁ ନିଜ ଦାୟିତ୍ବରେ ରଖେ। ତା'ରି ପାଖରେ ହିଁ ଅଣ୍ଡା ଫୁଟି ଶାବକ ଜନ୍ମନିଏ।