ଲୋକତନ୍ତ୍ର (ବ୍ୟୁରୋ) : ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ଅବସରରେ ଦାରୁବ୍ରହ୍ମଙ୍କୁ ରକ୍ତ ବସ୍ତ୍ର ଲାଗି ସହ ବିଶେଷ ସେବାର୍ଚ୍ଚନା ଅନୁଷ୍ଠିତ ହେବ । ଦାରୁଦିଅଁଙ୍କ ପୂର୍ଣ୍ଣାଙ୍ଗ ସର୍ବାଙ୍ଗ ଅର୍ଥାତ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଚନ୍ଦନଲାଗି ହେବ । ଅଣସର ଘରେ ଦାରୁଦିଅଁଙ୍କ ସମେତ ଦଶ ଠାକୁରଙ୍କ ଚନ୍ଦନଲାଗି ଅନୁଷ୍ଠିତ ହେବ ।
ବଡ଼ସିଂହାର ବେଶରେ ଠାକୁରେ ଗୀତଗୋବିନ୍ଦ ପାଟ ପରିଧାନ କରିବେ ।
ଅନବସରରେ ପ୍ରଥମ ଥରପାଇଁ ନାଲି ଫୁଲ ତଥା ସୁବାସିତ ଫୁଷ୍ପ ଓ ତୁଳସୀ ଆଦି ଠାକୁରେ ଲାଗି ହେବେ । ଅଣସର ସମୟର ଶୁଭ୍ର ବସ୍ତ୍ର ପରିତ୍ୟାଗ କରିଥିଲେ ଠାକୁରେ । ଠାକୁରଙ୍କ ସବୁଠାରୁ ପ୍ରିୟ ତୁଳସୀ ମଧ୍ୟ ଗତ ୧୦ ଦିନ ପର୍ଯ୍ୟନ୍ତ ବାରଣ ଥିଲା ।
ଏକାଦଶୀଠାରୁ ସାଧାରଣ ଦିନ ଭଳି ଠାକୁରେ ତୁଳସୀ ସହ ରଙ୍ଗିନ ଓ ସୁବାସିତ ପୁଷ୍ପ ଲାଗି ହେବେ । ବେଶ ଅନୁଷ୍ଠିତ ହେବାପରେ ଠାକୁରଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଯିବ । ଏଥିସହ ମହୌଷଧି ଲାଗି ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ।
କହିରଖୁକି, ବଡ଼ଦେଉଳରେ ଅନବସର ସେବାପୂଜାର ଦଶମୀ ତିଥିରେ ଦାରୁବ୍ରହ୍ମ ଶୋଇବା ସ୍ଥିତିରୁ ଜାଗ୍ରତ ଅବସ୍ଥାକୁ ଆସିଛନ୍ତି । ଗୁପ୍ତସେବା ଅବସରରେ ଏହା ହେଉଛି ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି । ସୋମବାର ଅପରାହ୍ଣରେ ଅଣସର ପିଣ୍ଡିରେ ଠାକୁରମାନଙ୍କୁ ଚକା ଉପରେ ସ୍ଥାପନ କରାଯାଇଛି । ଦଇତାପତିମାନେ ଗୋଷ୍ଠୀଗତ ଭାବେ ଏହି ସେବା କରିଛନ୍ତି ।