ଲୋକତନ୍ତ୍ର (ବ୍ୟୁରୋ) : ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡିଛି । ମନ୍ଦିର ପୁଲିସ ଓ ଟୁରିଷ୍ଟ ପୁଲିସ ଥିଲେ ମଧ୍ୟ ନଥିବା ପରି ମନେ ହେଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ନଥିବାରୁ ମନ୍ଦିରରେ ନାନା ସାଂଘାତିକ ଘଟଣା ଘଟୁଛି। ଏବେ ଜଣେ ଭକ୍ତ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ଭିତରେ ରାତି ତମାମ ରହି ଯାଇଥିଲେ। ମନ୍ଦିରର ନାଟ ମଣ୍ଡପ ଭିତରେ ସେ ରହିଥିବା ପରଦିନ ସକାଳେ ମନ୍ଦିର ଖୋଲିବା ପରେ ଜଣା ପଡ଼ିଥିଲା। ନାଟ ମଣ୍ଡପ ଚାବି ଖୋଲିବା ପରେ ଭକ୍ତ ଜଣକ ଆଖି ମଳିମଳି ମନ୍ଦିର ଭିତରୁ ବାହାରିଥିଲେ। ଦୁଇ ତିନିଦିନ ତଳେ ଘଟିଥିବା ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ୨୦୨୩ ଅପ୍ରିଲ ମାସ ୨୩ତାରିଖ ଅପରାହ୍ନ ୪ଟାରେ ଜଣେ ୧୬ବର୍ଷର ନାବାଳିକାଙ୍କୁ ଫୁଲ ଦୋକାନ କରିଥିବା ଯୁବକ ଅସଦାଚରଣ କରିଥିଲା। ନାବାଳିକା ପରିବାର ଲୋକଙ୍କ ସହ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ନାବାଳିକା ରୋଷଘର ପ୍ରବେଶ ଦ୍ବାର ନିକଟରେ ଠିଆ ହୋଇଥିବା ବେଳେ ଉକ୍ତ ଯୁବକ ଦୋକାନରୁ ଉଠିଯାଇ ତାଙ୍କୁ ଅସଦାଚରଣ କରିଥିଲା। ନାବାଳିକା ଚିତ୍କାର କରିବାରୁ ସେବାୟତମାନେ ଆସି ଯୁବକକୁ ଉତ୍ତମମଧ୍ୟମ ଦେଇ ମନ୍ଦିର ପୁଲିସ ଜିମା ଦେଇଥିଲେ।
ସେହିପରି ଗତ ୨୦୨୩ ମସିହା ଅଗଷ୍ଟ ୧୯ତାରିଖରେ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଶ୍ଳୀଳ ଭାଷାରେ ଗାଳିମନ୍ଦ ଦେଉଥିବା କିଛି ଯୁବକ ସେବାୟତଙ୍କୁ ପୁଲିସ ଗିରଫ କରିଥିଲା। ଲିଙ୍ଗରାଜ ମନ୍ଦିରରେ ୱାଚ୍ଟାୱାର ନଥିବା ବେଳେ ଦୀର୍ଘ ୫ ବର୍ଷ ହେଲା ମେଟାଲ୍ ଡିଟେକ୍ଟର ଅଚଳ ହୋଇପଡ଼ିଛି। ସେହିଭଳି ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାସବୁ ଭଲରେ କାମ କରୁନଥିବା ଅଭିଯୋଗ ହୋଇଆସୁଛି। ଏମିତି ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଗତ କିଛିଦିନ ହେଲା ମନ୍ଦିର ଭିତରେ ଲୁଟେରାମାନେ ଭକ୍ତମାନଙ୍କୁ ଲୁଟି ଚମ୍ପଟ ମାରୁଛନ୍ତି।