ଲୋକତନ୍ତ୍ର (ବ୍ୟୁରୋ) : ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଭାରତ। ଆସନ୍ତାକାଲି ଟ୍ରଫି ପାଇଁ ହେବ ଫାଇନାଲ୍ ଟକ୍କର। ଏଥିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ।
ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। 16.1 ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।
କହିରଖୁକି ଦକ୍ଷିଣ ଆମେରିକାର ଗୁୟାନାରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବର୍ଷା ସାଜିଥିଲା ବାଧକ। କିଛି ସମୟ ବିଳମ୍ବରେ ପଡିଥିଲା ଟସ୍। ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଇଂଲଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ। ଦଳୀୟ ସ୍କୋର୍ ମାତ୍ର 19 ହୋଇଥିବା ବେଳେ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଦଳ। ଋଷବ ପନ୍ତ ମଧ୍ୟ 4 ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଏହାପରେ ଦମ୍ ଦେଖାଇଥିଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ରୋହିତ ଶର୍ମା 39 ବଲରେ 57 ରନର ଭାଗିଦାରୀ ଯୋଡ଼ିଥିଲେ। ସେହିପରି ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର 47(36) ରନ୍ କରିଥିବା ବେଳେ ହାର୍ଦ୍ଦିକ 13 ବଲରେ 23 ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା।
୧୭୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଡିଫେଣ୍ଡିଂ ଚାମ୍ପିଅନ ଟିମ୍ ଭାରତୀୟ ବୋଲଙ୍କ ଆଗରେ ଘାଇଲା ହୋଇ ଯାଇଥିଲେ। ମାତ୍ର 16 ଓଭର୍ ଖେଳିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ ବାହିନୀ। ଏହି ବିଜୟ ସହ ଭାରତ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପର ବଦଲା ନେବା ସହ ୧୦ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିବାର ସୁଯୋଗ ପାଇଥିଲା ଟିମ୍ ଇଣ୍ଡିଆ।