ଲୋକତନ୍ତ୍ର (ବ୍ୟୁରୋ) : ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି ।
ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ ୭୪ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି। କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଥିବାରୁ ଚଡାନ୍ତ ମତଦାନ ହାର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ ୬୪. ୩୪ ପ୍ରତିଶତ ଭୋଟ ପଡ଼ିଛି । କୋଟିଆରେ ରେକର୍ଡ ୭୬ ପ୍ରତିଶତ ମତଦାନ ହୋଇଛି । କୋଟିଆରେ ଅନେକ ଲୋକ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭୫. ୭୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରେ ୭୬. ୯୮ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।
ଅନ୍ୟପଟେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।