ଲୋକତନ୍ତ୍ର (ବ୍ୟୁରୋ) : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ। ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବ ରୁ ୧୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏପଟେ ତୁମ୍ବ ନିର୍ମାଣ ପାଇଁ ଆବଶ୍ୟକ ଥିବା ସମସ୍ତ କାଠ ପର୍ଯ୍ୟାପ୍ତ ପରିମାଣରେ ଥିବା ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି। ତେବେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ରଥଖଳାରେ ପହଞ୍ଚିବ ବୋଲି କହିଛନ୍ତି ରଥ ତତ୍ତ୍ବାବଧାରକ।
ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି। ତିନି ରଥ ପାଇଁ ଅର କଣ୍ଟା ପ୍ରସ୍ତୁତ କରୁଛନ୍ତି ଓଝା ସେବକ। ତେବେ ଆଜି ରଥ ନିର୍ମାଣ କାର୍ଯ୍ୟର ଚତୁର୍ଥ ଦିନରେ ରଥଖଳାରେ ଭୋଇ, କରତି, କମାର ଓ ବିଶ୍ଵକର୍ମାଙ୍କୁ ମିଶାଇ ମୋଟ ୭୭ ଜଣ ସେବକ ନିୟୋଜିତ ହୋଇଛନ୍ତି।ସକାଳ ୮ଟା ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣକାରୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।