ଲୋକତନ୍ତ୍ର (ବ୍ୟୁରୋ) : ଚଳିତବର୍ଷ ରଥଯାତ୍ରାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥର ରାଷ୍ଟ୍ରପତି ପୁରୀକୁ ଆସି ରଥଯାତ୍ରା ଦେଖିବେ। ଏତଦ୍ବ୍ୟତୀତ ଅନେକ ଭିଆଇପି ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଚାରିଜଣ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ୬ ଜଣ ଆଇଜି ଓ ଡିଆଇଜି ରୢାଙ୍କର ଅଫିସର, ୧୯ ଜଣ ଏସ୍ପି ରୢାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଏସ୍ପି, ୭୫ ଜଣ ଡିଏସ୍ପି, ୧୩୦ ଜଣ ଇନ୍ସ୍ପେକ୍ଟର ଏବଂ ୬୭୫ ଜଣ ସବ୍ଇନ୍ସ୍ପେକ୍ଟର ଓ ଏଏସ୍ଆଇ ନିୟୋଜିତ ରହିବେ। ଏତଦ୍ବ୍ୟତୀତ ୩ ପ୍ଲାଟୁନ୍ ସ୍ପେଶାଲ ଷ୍ଟ୍ରାଇକିଂ ୟୁନିଟ୍ ଓ କେନ୍ଦ୍ରରୁ ୫ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ରହିବେ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।
ଗତକାଲି ପୁରୀଠାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକର ସମୀକ୍ଷା କରିବା ପରେ ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ରଥଯାତ୍ରା ସମୟରେ ସମଗ୍ର ପୁରୀ ସହରକୁ ସୁରକ୍ଷା କବଚ(ବ୍ଲାଙ୍କେଟ୍) ମଧ୍ୟରେ ରଖାଯିବ। ସେହିପରି ଜଳପଥ ପାଟ୍ରୋଲିଂ ପାଇଁ କୋଷ୍ଟଗାର୍ଡ ମଧ୍ୟ ନିୟୋଜିତ ରହିବେ।
ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ବ୍ୟବହାର କରାଯିବ। ସୁରକ୍ଷା ପାଇଁ ବିଭିନ୍ନ ହୋଟେଲ ଏବଂ ଲଜିଂ ଆଦିକୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିବା ସୂଚନା ମିଳିଛି।
ଅନ୍ୟପଟେ ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ଆସୁଥିବା ଭକ୍ତଙ୍କର ଗଣତି କରାଯିବ ବୋଲି ମଧ୍ୟ କୁହାଯାଇଛି ।