ଲୋକତନ୍ତ୍ର (ବ୍ୟୁରୋ) : ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ଗିରଫ କରାଯିବା ସହ ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପିଣ୍ଟୁଙ୍କ ସ୍ତ୍ରୀ ଆଶାଲତା ଦାଶ ପ୍ରଦୀପଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।ସେ କହିଛନ୍ତି ସ୍ବାମୀ ମତଦାନ କେନ୍ଦ୍ରରେ ଛିଡ଼ା ହୋଇଥିବା ବେଳେ ପ୍ରଦୀପ ତାଙ୍କୁ ଧମକ ଦେବା ସହ ସମର୍ଥକଙ୍କୁ ଜାତିଆଣ କଟୁ ମନ୍ତବ୍ୟ ଦେଇଥିବା ଦର୍ଶାଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି। ପିଣ୍ଟୁଙ୍କୁ ପ୍ରଦୀପ ଧମକ ଦେବା ଓ ସମର୍ଥକଙ୍କୁ ଗାଳି ଦେଇଥିବା ନେଇ ସ୍ତ୍ରୀ ଆଶାଲତାଙ୍କ ଅଭିଯୋଗ ଅନୁଯାୟୀ ନଂ.୧୩୨/୨୪ରେ ମାମଲା ରୁଜୁ ହୋଇଛି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅହିଂସାର ଡିଣ୍ଡିମ ପିଟୁଥିବା ବେଳେ ହିଂସା ଚରମ ସୀମାରେ ପହଞ୍ଚିଛି। ହାରିବା ଭୟରେ ସେମାନେ ତାଟିଆ କାମୁଡୁଛନ୍ତି ବୋଲି କହିଛନ୍ତି।
ସେପଟେ ପ୍ରଦୀପଙ୍କ ଛାତିରେ ଫ୍ୟାକ୍ଚର ହୋଇଛି ଓ ସେ କଥା କହିବାରେ କଷ୍ଟ ଅନୁଭବ କରୁଛନ୍ତି। ସୂଚନାଥାଉକି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା ।