ଲୋକତନ୍ତ୍ର (ବ୍ୟୁରୋ) : ଆଜି ମାର୍ଚ୍ଚ ୨୦ ତାରିଖ ଅର୍ଥାତ ବିଶ୍ୱ ପଖାଳ ଦିବସ। ପଖାଳରୁ ଆରମ୍ଭ ହୁଏ ଓଡ଼ିଆଙ୍କ ସକାଳ। ପଖାଳରେ ଓଡ଼ିଆର ମନ ଓ ପ୍ରାଣ ରହେ। ଓଡ଼ିଶାର ଲୋକମାନେ ବିଭିନ୍ନ ପ୍ରକାରର ପଖାଳ ଖାଇଥାନ୍ତି। ଗରିବ କୁଡ଼ିଆରୁ ଫାଇଭ ଷ୍ଟାର ହୋଟେଲ ଯାଏ ପଖାଳ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି। ଆମ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି। ରାତିରେ, ପୁଣି ଘିଅ ପକାଇ ଖାଆନ୍ତି।
ପଖାଳ ଆମ ଓଡ଼ିଶାର ଧନୀ, ଗରିବ, ମଧ୍ୟବିତ୍ତ ସବୁ ପ୍ରକାର ପରିବାରର ଭୋକ ମେଣ୍ଟାଇବା ପରି ଏକ ସରଳ ଖାଦ୍ୟ। ଖରା ଦିନେ ତ ପଖାଳର ଚାହିଦା ଅଧିକ। ଏହି ସମୟରେ ପ୍ରାୟ ସମସ୍ତେ ପଖାଳ ଖାଆନ୍ତି। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲରେ ବି ଏହା ମିଳିଥାଏ। ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ପକା ଯାଇଥାଏ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଇତ୍ୟାଦି। ପଖାଳ ସହିତ ଲୋକେ ଶାଗ, ବଡ଼ିଚୁରା ଓ ବିଭିନ୍ନ ପ୍ରକାର ଭଜା ଖାଆନ୍ତି। ପଖାଳ ଖାଇ ସାରି ତୋରାଣି ମୁନ୍ଦେ ପିଇଦେଲେ ମନକୁ ଶାନ୍ତି ମିଳିଥାଏ। ଏହାର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା'ର ସତ୍ତା କି ମହକ ହରାଇ ନାହିଁ।
ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାହିଁରେ କ'ଣ, ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ପକ୍ଷରୁ 'ଜିରା ପଖାଳ', 'ଦହି ପଖାଳ', 'ଗରମ ବା ଚାଇଁ ପଖାଳ' ଓ 'ବାସି ପଖାଳ' ପ୍ରସ୍ତୁତ କରାଯାଉଛି।
କିନ୍ତୁ ଏବର୍ଷ ପାଗ ଖରାପ ହେତୁ ବାସି ପଖାଳ ନହେଲା ନାହିଁ ଚାଇଁ ପଖାଳରେ ପଖାଳ ଦିବସ ପାଳିବାକୁ ଅନେକ କହୁଛନ୍ତି।