ନୂଆଦିଲ୍ଲୀ :- ଜୁଲାଇ ୧୭ରୁ ସଂସଦରେ ବସିପାରେ ମୌସୁମୀ ଅଧିବେଶନ । ସଂସଦୀୟ ମାମଲାରେ କ୍ୟାବିନେଟ କମିଟି ବୈଠକ ଆଗାମୀ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର ହୋଇପାରେ।
ଚଳିତ ବର୍ଷ ମୌସୁମୀ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।ପ୍ରଧାନମନ୍ତ୍ରୀ ମୋଦୀ ସମାନ ନାଗରିକ ସଂହିତା ଉପରେ ସଦ୍ୟ ଦେଇଥିବା ବୟାନକୁ ନେଇ ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିପାରନ୍ତି । ସେପଟେ ନୂଆ ସଂସଦ ଭବନରେ ପ୍ରଥମଥର ପାଇଁ ସଂସଦୀୟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି ।
ପ୍ରତିବର୍ଷ ଜୁଲାଇ ମାସରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥାଏ । ୨୦୨୨ ମସିହାରେ ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହୋଇଥିଲା । ସୂଚନା ଅନୁସାରେ ୨୦୨୩ର ମୌସୁମୀ ଅଧିବେଶନ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ ।