ଲୋକତନ୍ତ୍ର (ବ୍ୟୁରୋ) : ଜ୍ୱରରେ ମହାପ୍ରଭୁ ଜଗନ୍ନାଥ। ଚାଲିଛି ଗୁପ୍ତ ସେବା।ବଡ଼ଦେଉଳରେ ଅନବସର ସେବାପୂଜାର ଦଶମୀ ତିଥିରେ ଦାରୁବ୍ରହ୍ମ ଶୋଇବା ସ୍ଥିତିରୁ ଜାଗ୍ରତ ଅବସ୍ଥାକୁ ଆସିଛନ୍ତି । ଗୁପ୍ତସେବା ଅବସରରେ ଏହା ହେଉଛି ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ।
ସୋମବାର ଅପରାହ୍ଣରେ ଅଣସର ପିଣ୍ଡିରେ ଠାକୁରମାନଙ୍କୁ ଚକା ଉପରେ ସ୍ଥାପନ କରାଯାଇଛି । ଦଇତାପତିମାନେ ଗୋଷ୍ଠୀଗତ ଭାବେ ଏହି ସେବା କରିଛନ୍ତି ।
ଇତିମଧ୍ୟରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି ଶ୍ରୀମନ୍ଦିରରେ ପହଞ୍ଚାଯାଇଛି । ଏହାକୁ ସେବନ ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗୁପ୍ତ ସେବା ପରମ୍ପରା ଅନୁସାରେ ରାଜବୈଦ୍ୟ ଏହି ମହୌଷଧି ପ୍ରସ୍ତୁତ କରିଥିଲେ ।
ରାଜବୈଦ୍ୟଙ୍କ କହିବା ଅନୁସାରେ ପ୍ରାୟ ଦେଢ଼ ମାସ ଲାଗେ ଏସବୁର ପ୍ରସ୍ତୁତି । ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରୁ ଗମ୍ଭାରୀ, ବେଲଛେଲି, ଶାଳପର୍ଣ୍ଣି, ଅଗବଥୁ, ଅଣପଠଣା, ଅଙ୍କରାନ୍ତି, ଲବଙ୍ଗ କୋଳି, କୃଷ୍ଣପର୍ଣ୍ଣୀ ଓ ପାଟେଳୀ ଆଦି ୧୦ ପ୍ରକାର ଚେରମୂଳି ସଂଗ୍ରହ କରାଗଲା । ଦିଅଁମାନେ ଜ୍ୱରରେ ପଡ଼ିଲା ପରଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହେଲା । ଏସବୁକୁ ଧୋଇ ଶୁଖାଇବା ପରେ ଗୁଣ୍ଡକରି ରଖାଯାଏ । ପରେ ଏହି ଗୁଣ୍ଡରେ କ୍ଷୀର, ଖୁଆ, ଘିଅ, ସର, ମସଲା, ମହୁ, ଓ କର୍ପୂର ଆଦି ମିଶାଇ ପାଗ ହୁଏ । ଏହାକୁ ଗୁଳାକରି ବଢ଼ାରେ ଶ୍ରୀମନ୍ଦିରକୁ ପଠାଯାଏ।
ମହୌଷଧି ସମର୍ପଣ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ।
ପୂର୍ବ ରାତିରୁ ଶ୍ରୀମନ୍ଦିରରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇ ନଥିଲା । ଚକାବିଜେ ନୀତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଥିଲା । ଦଇତାପତି ସେବକମାନେ ଗୋଷ୍ଠୀଗତ ସେବା ଜରିଆରେ ଠାକୁରମାନଙ୍କୁ ଚକାଗୁଡ଼ିକ ଉପରେ ବିଜେ କରାଇଥିଲେ । ପରେ ଚକଟା ଓ ପଣା ଭୋଗ ଅର୍ପଣ କରାଯାଇଥିଲା । ପୁଣି ବେହେରଣ ଦ୍ୱାର ପଡ଼ି ଜୟବିଜୟ ଦ୍ୱାର ଫିଟି ଯଥାବିଧି ନୀତି ଆଗେଇଥିବା ସୂଚନା ମିଳିଛି।