ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ଏକ 'ମୂଳ ସମୁଦାୟ' ରହିଛି ଯାହା ସେହି ଦେଶର ପରିଚୟ ଓ ତାହାର ଚରିତ୍ରର ନିଦର୍ଶନ ଅଟନ୍ତି। ଏହି ସମୂହ ଉକ୍ତ ରାଷ୍ଟ୍ରର ମୌଳିକ ପରମ୍ପରା ଓ ସଂସ୍କୃତିକୁ ଧାରଣ କରିଥାନ୍ତି ଯାହାକୁ ରାଷ୍ଟ୍ରର ଆତ୍ମା ବା ଚିତି କୁହାଯାଏ। ଉଦାହରଣ ସ୍ୱରୂପ ଚୀନ୍ ର ମଙ୍ଗୋଲିୟ ହାନ୍, ଇରାନର ଆର୍ଯ୍ୟ ଶିଆ, ଇସ୍ରାଏଲର ଜୀଉ ଓ ଜର୍ମାନୀର ଗଲ୍ ଇତ୍ୟାଦି। ଏମାନଙ୍କ ବିଶୁଦ୍ଧ ରାଷ୍ଟ୍ରୀୟତା ହିଁ ସମ୍ପୂର୍ଣ୍ଣ ଦେଶକୁ ଶାନ୍ତି ସୌହାର୍ଦ୍ଦ୍ୟର ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ। ତେବେ ଚିନ୍ତାର ବିଷୟ ଏହା ଯେ ଆମର ଏହି ମୂଳ ଭାରତୀୟ ସ୍ପର୍ଦ୍ଧାକୁ ନିଷ୍ପ୍ରଭ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଅନ୍ୟଥା ଦେଶରେ ଆଜି ଅନୁଛେଦ ୩୭୦ ଓ ନାଗରିକ ସଂଶୋଧନ ଆଇନର ତୀବ୍ର ବିରୋଧ ହେଉନଥାନ୍ତା। ତତ୍ ସହିତ ଅତି ଉପାଦେୟ କୃଷି ଆଇନ ସମ୍ବନ୍ଧରେ କୃଷକଙ୍କୁ ଭୁଆଁ ବୁଲାଇବା ଏତେ ସହଜ ହୋଇ ନଥାନ୍ତା। ଅବଶ୍ୟ ଆମେରିକା ବିନା କୌଣସି ମୂଳ ଇତିହାସରେ ପ୍ରବାସୀ ଇଉରୋପୀୟ ଆଧାରିତ ରାଷ୍ଟ୍ରୀୟ ପରିଚୟ ସୃଷ୍ଟି କରିପାରିଛି, କିନ୍ତୁ ଏହା ଚିରସ୍ଥାୟୀ ହେବ ନାହିଁ ବୋଲି ନିକଟ ଅତୀତର ବର୍ଣ୍ଣ ବୈଷମ୍ୟ ଦଙ୍ଗା ଓ ନିର୍ବାଚନୀ ପରବର୍ତ୍ତୀ ହିଂସା ସୂଚାଇ ସାରିଲାଣି।
ଯେବେ ଗୋଟିଏ ଦେଶର ମୂଳ ଜନ ସମୂହରେ ଭେଦ ସୃଷ୍ଟି ହୁଏ, ସେବେ ସେହି ଦେଶର ଅନ୍ତ ସୁନିଶ୍ଚିତ ହୋଇଯାଏ। ବିଶାଳ ସୋଭିଏତ ସଂଘ ବିଘଟନର ଜ୍ୱଳନ୍ତ ଦୃଷ୍ଟାନ୍ତ ସର୍ବସମ୍ମୁଖରେ ପ୍ରତୀୟମାନ। ଏହି କାର୍ଯ୍ୟଟିକୁ ବୋରିସ ୟେଲତସିନ ନାମକ ଜଣେ ବିଫଳ ରାଜନେତା ରୂପାୟନ ଦେଇଥିଲେ। ସେତେବେଳେ ମିଖାଇଲ ଗୋର୍ବାଚେଭ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ। ସେ ଦେଶକୁ ଏକଛତ୍ରବାଦୀ ନିୟନ୍ତ୍ରଣରୁ ମୁକ୍ତ କରି ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ କରୁଥିଲେ। ମୁକ୍ତ ବାଣିଜ୍ୟ, ଆର୍ଥିକ ତଥା ପ୍ରଶାସନିକ ସୁଧାର ଆଣିବା ସହ ରାଜ୍ୟଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରିଥିଲେ। ପ୍ରତିଦ୍ୱନ୍ଦୀର ନେତୃତ୍ୱରେ ନାଗରିକଙ୍କୁ ନ୍ୟାୟିକ, ସ୍ୱାଧୀନତା ତଥା ସମାନତା ପରି ଗୁରୁତ୍ୱପୂର୍ଣ୍ଣ ଅଧିକାର ମିଳିବା ଅଧିନାୟକବାଦୀ ୟେଲତସିନଙ୍କୁ ପସନ୍ଦ ଆସିଲା ନାହିଁ ଓ ସେ ଗୋର୍ବାଚେଭଙ୍କ ବିରୋଧରେ ସିଧାସଳଖ 'ଦେଶ ବିଭାଜନ'ର ଅଭିଯୋଗ ଆଣିଲେ। ଭାରତର ସାଂପ୍ରତିକ ସ୍ଥିତି ଭଳି ତତ୍କାଳୀନ ରୁଷରେ ୟେଲତସିନଙ୍କ ନେତୃତ୍ୱରେ ଅଳ୍ପସଂଖ୍ୟକ, କୃଷକ, ଶ୍ରମିକ ଆଦି ଆନ୍ଦୋଳନ ଦୀର୍ଘଦିନ ଚାଲିଲା। ଶେଷରେ ୟେଲତସିନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଲେ। କିନ୍ତୁ ନିଜକୁ ରାଷ୍ଟ୍ରପତି ବନେଇବା ଅଭିଯାନ ସହ ଷଡ଼ଯନ୍ତ୍ର ପୂର୍ବକ ସୋଭିଏତ ସଂଘକୁ ଭାଙ୍ଗି ଦେଇଥିଲେ।
ରୁଷ ଜନତା ଜାଗ୍ରତ ହେବା ବେଳକୁ ଦେଶ ୧୫ ଖଣ୍ଡ ହୋଇ ସାରିଥିଲା। ଏକଦା ସମଗ୍ର ବିଶ୍ୱକୁ ଜୟ କରିବାର ସ୍ୱପ୍ନ ଦେଖିଥିବା ରୁଷ ଆଜି ଜିଡିପି ପରିସଂଖ୍ୟାନର ପ୍ରଥମ ଦଶଟି ଦେଶ ମଧ୍ୟରେ ସ୍ଥାନ ପାଇବାକୁ ସଂଘର୍ଷରତ। ରୁଷ ସହ ଏପରି କାହିଁକି ହେଲା ? କାରଣ ଏହା ୟେଲତସିନଙ୍କ ପରି ନେତାକୁ ଚୟନ କଲା ଯାହାର ବ୍ୟକ୍ତିଗତ ହିତ ରାଷ୍ଟ୍ର ବିଭାଜନରେ ନିହିତ ଥିଲା। ରୁଷର ଏହି ଅତୀତ ଆମ ପାଇଁ ଏକ ଶିକ୍ଷା ଅଟେ। କାରଣ ଆମେ ହେଉଛେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଯେଉଁଠି ସର୍ବାଧିକ ଧର୍ମ, ଭାଷା, ଜାତି ଓ ଭୌଗଳିକ ବିଭିନ୍ନତା ରହିଛି। ଆମ ଦେଶରେ ରାଷ୍ଟ୍ରବିରୋଧୀ ତତ୍ତ୍ୱଙ୍କ ଅଭାବ ନାହିଁ। ପରିବାରବାଦରେ ଗ୍ରସ୍ତ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳ ଗୋଷ୍ଠୀ କନ୍ଦଳରେ ବୁଡି ରହିଛନ୍ତି। ଆଜି କ୍ଷମତା ହାସଲ ପାଇଁ ତୁଷ୍ଟୀକରଣକୁ ମୁଖ୍ୟ ଏଜେଣ୍ଡା କରାଯାଇଛି। ଅନେକ ଜାତିଭିତ୍ତିକ ଓ ସାମ୍ପ୍ରଦାୟିକ ସଙ୍ଗଠନ ହିଂସା ଉଦ୍ରେକକାରୀ ବୟାନବାଜି ଜାରି ରଖିଛନ୍ତି। ବେଳେବେଳେ ମନରେ ଭୟ ଆସୁଛି ସତ୍ତା ହାସଲର ଏହି ଚକ୍ରାନ୍ତ ମଧ୍ୟରେ ଆମ ଗଣତନ୍ତ୍ର ୟେଲତସିନଙ୍କ ପରି କୌଣସି ସ୍ବାର୍ଥୀ ବ୍ୟକ୍ତି ହାତକୁ ଚାଲି ନଯାଉ।
ଏହା ଆଶା କରିବା ବୃଥା ଯେ ଯେଉଁ ଦଳମାନେ ସଂପୃକ୍ତ କ୍ଷେତ୍ର ତଥା ଜାତିର ଉତ୍ଥାନ ପାଇଁ କ୍ରିୟାଶୀଳ ସେ ଭବିଷ୍ୟତରେ ସମଗ୍ର ରାଷ୍ଟ୍ରର ସ୍ୱାର୍ଥ ପାଇଁ ଲଢ଼ିବେ। ଯେଉଁମାନଙ୍କ ଉପସ୍ଥିତି ଗୋଟିଏ ରାଜ୍ୟ ମଧ୍ୟରେ ହିଁ ସୀମିତ ଓ ସେହି ରାଜ୍ୟର କ୍ଷମତା ହାସଲ କରିବାଟା ତାଙ୍କର ଏକମାତ୍ର ଲକ୍ଷ୍ୟ, ସେମାନେ କେବେବି ଦେଶ ପାଇଁ ଠିଆ ହୋଇ ପାରିବେ। ସର୍ବଦା ଆଞ୍ଚଳିକ ଓ ଦଳୀୟ କନ୍ଦଳରେ ଲିପ୍ତ ରହୁଥିବା ଏହି ଦଳ ଗୁଡିକ ଜାତୀୟ ସମସ୍ୟା ପାଇଁ ସ୍ୱର ଉତ୍ତୋଳନ କରିବା କ୍ଵଚିତ ଦେଖିବାକୁ ମିଳେ। ସ୍ୱାଧୀନତା ପରବର୍ତ୍ତୀ ଦୀର୍ଘ ସତୁରୀ ବର୍ଷର ଇତିହାସରେ ଶିବସେନା ବ୍ୟତୀତ ଅନ୍ୟ କୌଣସି ଆଞ୍ଚଳିକ ଦଳ ପାକିସ୍ତାନ ବିରୁଦ୍ଧରେ କହିବା ଆପଣ ଶୁଣି ନଥିବେ। କାରଣ ଏହା ସେମାନଙ୍କ ସ୍ୱାର୍ଥ ଓ ହିତ ବହିର୍ଭୁତ ପ୍ରସଙ୍ଗ। ବିନା ତର୍କ ଓ ଆଲୋଚନାରେ କୃଷି ଆଇନକୁ କଳା ଆଇନ ଦର୍ଶାଇବା ଆଞ୍ଚଳିକ ତଥା କ୍ଷେତ୍ରୀୟ ନେତାମାନଙ୍କ ବୌଦ୍ଧିକ ଦୁର୍ବଳତା ପ୍ରମାଣିତ କରିସାରିଛି। ନାଗରିକ ସଂଶୋଧନ ଆଇନରେ ଆପତ୍ତି ଓ ଧାରା ୩୭୦ ର ସପକ୍ଷରେ ଯୁକ୍ତି ବାଢିବା ସେମାନଙ୍କ ଭୋଟହିତ ରାଜନୀତିକୁ ଦର୍ଶାଉଛି।
ଭାରତୀୟ ବାମଦଳ ମାନଙ୍କ ଭାରତୀୟତା ସହ କୌଣସି ସମ୍ପର୍କ ନାହିଁ। ସେମାନେ ମାଓ, ଲେନିନ୍, ଷ୍ଟାଲିନ୍ ଙ୍କ ଅନୁସରଣ ପୂର୍ବକ ରକ୍ତର କ୍ରାନ୍ତି ଆଣି ଦେଶକୁ ଲାଲ କରିଦେବାକୁ ଚାହୁଁଛନ୍ତି। ସେହିପରି ଗଜୱା-ଏ-ହିନ୍ଦ୍ ର ନାରା ଦେଇ ଜିହାଦୀମାନେ ଭାରତକୁ ସବୁଜ କରିବାରେ ନିମଗ୍ନ। ଏବେ କିଛି ନୀଳବର୍ଣ୍ଣ ଶୃଗାଳ ସମ୍ବିଧାନ ବଞ୍ଚାଇବା ପାଇଁ ରାସ୍ତାକୁ ଓଲ୍ହାଇଛନ୍ତି, ଯାହାଙ୍କୁ ଦେଖିବା ପରେ ସମ୍ବିଧାନ ଖୋଦ୍ ନିଜ ଅସ୍ତିତ୍ଵକୁ ନେଇ ଭୟବୀତ ହୋଇଯାଇଛି। ଏ ସମସ୍ତଙ୍କୁ ପୋଷଣ ଯୋଗାଉଥିବା ଆଞ୍ଚଳିକ ତଥା କ୍ଷେତ୍ରୀୟ ଦଳର ଅଭିପ୍ରାୟ ହେଲା ଖଣ୍ଡିତ ଭାରତରୁ ନିଜ ନିଜ ଅଂଶ ଅକ୍ତିଆର କରିନେବା। ତେବେ ଆମେ ଚୁପ କାହିଁକି ? ଆମେ ଇତିହାସକୁ ଦେଖିଛେ। ଘୋରୀ ଆଉ ଗଜନୀର ଆକ୍ରମଣ ବେଳେ ରାଜପୁତ ଓ ଦିଲ୍ଲୀ ଶାସକ ନିଜ ପରାଜୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପ୍ରତାପଙ୍କୁ ଆକବର ସହ ଓ ବକ୍ସିଙ୍କୁ ବ୍ରିଟିଶ ସହ ଏକାକୀ ଲଢ଼ିବାକୁ ପଡିଥିଲା। ବାଲୋଚ ଓ ସିନ୍ଧିଙ୍କ ମତାତରଣକୁ ତତ୍କାଳୀନ କାଶ୍ମୀରବାସୀ ହେୟଜ୍ଞାନ କରିନଥିଲେ, ଆଜି ସେମାନେ ନିଜ ଘରେ ସୁରକ୍ଷିତ ବାସ କରୁଥାନ୍ତେ। ଆମେ କିସ୍ତିରେ ହାରିବାକୁ ପସନ୍ଦ କରୁ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ବି ଆମର ସେହି ମାନସିକତାକୁ ପ୍ରତିଫଳିତ କରୁଅଛି।
ତେବେ ଭାରତ ପାଇଁ ଲଢ଼ିବ କିଏ ? ୨୨ ବର୍ଷ ବୟସରେ ଦୁନିଆ ଦେଖିବା ଆଗରୁ ଜନ୍ମଭୂମି ପାଇଁ ପ୍ରାଣବଳି ଦେଉଥିବା ସୈନିକଙ୍କ ଅଭାବ ନାହିଁ ଏ ଦେଶରେ। କିନ୍ତୁ ଯୁଦ୍ଧ ସୈନିକ ନୁହେଁ ବରଂ ସଭ୍ୟତା ଲଢ଼ିଥାଏ। ସୈନିକ ତ କେବଳ ଭୂଜା ମାତ୍ର। ଭାରତୀୟ ସମାଜର ସେହି 'ମୂଳ ସମୁଦାୟ' କୁ ନେତୃତ୍ୱ ନେବାକୁ ହେବ, ଯିଏ ଏଯାବତ୍ ସମସ୍ତ ଶତ୍ରୁଙ୍କ ସହ ଲଢ଼ି ରାଷ୍ଟ୍ରୀୟ ଭାବନାକୁ ଅକ୍ଷୁର୍ଣ୍ଣ ରଖି ପାରିଛି। କ୍ଷେତ୍ର, ଜାତି, ଭାଷାକୁ ଅତିକ୍ରମ କରି ଆଜି ଯେଉଁ ରାଷ୍ଟ୍ରବାଦୀ ବିଚାର ପୁନଃ ଅଙ୍କୁରିତ ହୋଇଛି, ଏହାହିଁ ସାଂସ୍କୃତିକ ଚେତନାର ଜାଗରଣ କରି ଆମ ଏକତା ଓ ଅଖଣ୍ଡତାକୁ ସଶକ୍ତ କରି ପାରିବ। 'ଇଣ୍ଡିଆ ଟୁଗେଦର' ହାଜଟ୍ୟାଗରେ ହୋଇଥିବା ଏକ ବିଲିୟନ ଟୁଇଟରୁ ଆମେ ପଥଚ୍ୟୁତ ହୋଇନଥିବା ପ୍ରତୀତ ହୋଇଯାଇଛି। ବାସ୍ ଏହି ପଥରେ ଅବିରତ ଓ ଅବିଚଳିତ ଭାବେ ଚାଲିବାକୁ ହେବ।
ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଇ-ମେଲ: ommpriyadarshi@gmail.com
ମୋ: ୯୧୭୮୫୬୦୩୫୫