ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର ଇସ୍ରୋକୁ ବଡ଼ ସଫଳତା । ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା ମୁନ ମିଶନ ପୂର୍ବରୁ ସି-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ର ସଫଳ ପରୀକ୍ଷଣ କରିଛି ଇସ୍ରୋ । ଚନ୍ଦ୍ରଯାନ-୩ରେ ଏହି ଇଞ୍ଜିନର ବ୍ୟବହାର କରାଯିବ । ଚନ୍ଦ୍ରଯାନ-୩ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଏହାର ଉଦ୍ଦେଶ୍ୟ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ଓ ରୋଭର ଦ୍ବାରା ନମୁନା ସଂଗ୍ରହ କରିବା ।
ଚଳିତ ବର୍ଷ ଜୁନରେ ଏହାକୁ ମହାକାଶକୁ ପଠାଇବା ନେଇ ଯୋଜନା ରହିଛି ଇସ୍ରୋ । ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ଲଞ୍ଚ କରାଯିବ । ଲଞ୍ଚ ଯାନ ମାର୍କ-୩ ଦ୍ବାରା ଏହାକୁ ଚନ୍ଦ୍ର ପୃଷ୍ଠକୁ ପଠାଯିବ । ତେବେ ୨୪ ଫେବୃଆରୀରେ ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋ ପ୍ରୋପଲ୍ସନ କମ୍ପ୍ଲେକ୍ସର ହାଇ ଆଲଟିଟ୍ୟୁଡ୍ ଟେଷ୍ଟ ଫେସିଲିଟିରେ ୨୫ ସେକେଣ୍ଡର ନିର୍ଦ୍ଧାରିତ ସମୟ ପାଇଁ ଏହି କ୍ରାୟୋଜେନିକ୍ ଇଞ୍ଜିନର ପରୀକ୍ଷା କରାଯାଇଥିଲା । ଯାହା ସଫଳ ହୋଇଥିବା କହିଛନ୍ତି ଇସ୍ରୋ ଅଧିକାରୀ ।