ଲୋକତନ୍ତ୍ର (ବ୍ୟୁରୋ) : ଗ୍ୟାଷ୍ଟ୍ରିକ ସମସ୍ୟା ବର୍ତ୍ତମାନ ସମୟରେ ଏବେ ସବୁବର୍ଗର ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖାଯାଉଛି। ଏହି ସମସ୍ୟାକୁ ପ୍ରାୟତଃ ଲୋକ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିଦେଇଥାନ୍ତି। ପେଟର ଉପରଭାଗରେ ପୀଡ଼ା ଓ ଜଳାପୋଡ଼ା ଅନୁଭବ ହେଲେ ତାହା ଗ୍ୟାସ ଜନିତ ସମସ୍ୟା ବୋଲି କୁହାଯାଏ। କେବଳ ଏତିକି ନୁହେଁ ଛାତିରେ ଜଳାପୋଡ଼ା ହେବା, ପେଟ ଫମ୍ଫାଇବା, ଆମ୍ବିଳା ହେକୁଟି ଦେବା, ଛାତି ବିନ୍ଧିବା ଆଦି ଅନେକ ଲକ୍ଷଣ ଏହି ଗ୍ୟାଷ୍ଟ୍ରିକ ସମସ୍ୟା ଯୋଗୁଁ ଦେଖାଦେଇଥାଏ । ଯଦି ଆରମ୍ଭରୁ ଏହାର ପ୍ରତିକାର କରା ନଯାଏ ତେବେ ପରବର୍ତ୍ତୀ ସମୟରେ ତାହା ମଣିଷ ଶରୀରରେ କିଛି ନା’ କିଛି ଜଟିଳ ସ୍ଥିତି ଉପୁଜାଇଥାଏ ।
ଫାଷ୍ଟଫୁଡ଼ ଖାଦ୍ୟ, ବାସି ଖାଦ୍ୟ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପବାସ ରହିବା ଦ୍ୱାରା ଏହି ଗ୍ୟାଷ୍ଟ୍ରିକ ସମସ୍ୟା ଅତ୍ୟଧିକ ହୋଇଥାଏ । ବ୍ୟାକ୍ଟେରିଆ (ହେଲିକୋ ବ୍ୟାକ୍ଟର ପାଇଲୋରି ଜୀବାଣୁ)- ଏକ ଏଭଳି ଜୀବାଣୁ ଯାହାକି ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରାଏ । ପାକସ୍ଥଳୀରେ ସାଧାରଣତଃ ଏହି ଜୀବାଣୁମାନେ ରହିଥାନ୍ତି । ସେହିପରି ଅତ୍ୟଧିକ ପେନ୍କିଲ୍ର ଖାଇବା ଦ୍ୱାରା ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜିଥାଏ । ଖାଦ୍ୟନଳୀ ଓ ପାକସ୍ଥଳୀ ଭିତରେ କେଉଁଠି ଓ କାହିଁକି ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜୁଛି ତାହା ଏହି ଇଣ୍ଡୋସ୍କୋପି ମାଧ୍ୟମରେ ସ୍ପଷ୍ଟ ଜଣାପଡ଼ିଥାଏ । ସେହିପରି ର୍ୟାପିଡଯି ରିୟେଜ ଟେଷ୍ଟ ମାଧ୍ୟମରେ ମଧ୍ୟ ଗ୍ୟାଷ୍ଟ୍ରିକର ପରୀକ୍ଷା କରାଯାଇଥାଏ । ଅନ୍ୟପକ୍ଷରେ ବ୍ରେଥ୍ ଟେଷ୍ଟ ଏହି ଗ୍ୟାଷ୍ଟ୍ରିକ ସମସ୍ୟାର ଆଉ ଏକ ପରୀକ୍ଷା ପଦ୍ଧତି । ଏହି ଟେଷ୍ଟ ମାଧ୍ୟମରେ ନିଶ୍ୱାସ ପ୍ରଶ୍ୱାସରୁ ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ଅଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ ।
ସର୍ବପରି କହିବାକୁ ଗଲେ ଗ୍ୟାଷ୍ଟ୍ର୍ରିକ ସମସ୍ୟାକୁ ସାଧାରଣ ରୋଗ ନଭାବି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରାଯିବା ଉଚିତ । ଯଦି ପେଟ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଗ୍ୟାଷ୍ଟ୍ରିକ ସମସ୍ୟାକୁ ଅଣଦେଖା କଲେ ଏହା କ୍ରମଶଃ କର୍କଟ ରୋଗ ଆଡ଼କୁ ଗତି କରିଥାଏ । ପ୍ରଥମେ ଅଲସର୍ ଓ ପରେ କ୍ୟାନସରର ରୂପ ନେଇ ଏହା ମଣିଷ ଜୀବନ ପ୍ରତି ଭୟଙ୍କର ବିପଦ ଆଣିଥାଏ । ଯଦି ଠିକ୍ ସମୟରେ ଭୋକ ନ ଲାଗିଲା କିମ୍ବା ଖାଦ୍ୟ ଖାଇବା ବେଳେ ତଣ୍ଟି ପାଖରେ ଜଳାପୋଡ଼ା ଅନୁଭବ ହେଲା, ତେବେ ଏହା ଭୟଙ୍କର ଗ୍ୟାଷ୍ଟ୍ରିକ ସମସ୍ୟାର ସୂଚନା ଦେଇଥାଏ ।
ଏକ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ । ବର୍ତ୍ତମାନର ଯୁବପିଢି ଯେଉଁଭଳି ମାଦକ ଦ୍ରବ୍ୟ ସେବନ କରୁଛନ୍ତିି କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା ଆଦୌ ଠିକ୍ ନୁହେଁ । ଧୂମ୍ରପାନ ଓ ମଦ୍ୟପାନ ଗ୍ୟାଷ୍ଟ୍ରିକ ସମସ୍ୟାକୁ ଦ୍ୱିଗୁଣିତ କରିଥାଏ । ତେଣୁ ଯୁବପିଢି ଏଥିରୁ ନିବୃତ୍ତ ରହିବା ଉଚିତ ।