ଲୋକତନ୍ତ୍ର (ବ୍ୟୁରୋ) : ଲେଖାଶ୍ରୀ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଭେଟେରାନ୍ ଲିଡ଼ର ପ୍ରତାପ ଷଡ଼ଙ୍ଗୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ । ବିଜେପିରୁ ତାଙ୍କୁ ଟିକେଟ ନମିଳିବା ପରେ ଲେଖା ରାଗିଯାଇ ବିଜେଡ଼ିରେ ମିଶିଥିଲେ ଓ ବାଲେଶ୍ୱରରୁ ଟିକେଟ ନେଇ ଲଢ଼ିଥିଲେ । ପ୍ରତାପଙ୍କ ପାଇଁ ଯଦିଓ ବାଲେଶ୍ୱର ସିଟ୍ ଜିତିବା ପାଇଁ ପ୍ରଥମରୁ ଅଡ଼ୁଆ ଥିଲା, ଲେଖା ବିଜେଡ଼ିରେ ମିଶିଯିବା ପରେ ଅଧିକରୁ ଅଧିକ ସହଜ ହୋଇଯାଇଥିଲା । କାହିଁକିନା ଲେଖାଙ୍କ ବ୍ୟକ୍ତିତ୍ୱ ବାବଦରେ ବାଲେଶ୍ୱରବାସୀ ପୂର୍ବରୁ ଅବଗତ ଥିଲେ । ନିଜର ସ୍ୱାଭିମାନ, ସ୍ୱାଧିକାର ବାବଦରେ ସଚେତନ ନଥିବା ଲେଖାଙ୍କୁ ବାଲେଶ୍ୱରବାସୀ ପ୍ରତ୍ୟାଖାନ କରିବା ସହ ପ୍ରତାପଙ୍କୁ ବିପୁଳ ଭୋଟରେ ଜିତାଇ ଥିଲେ । ଲେଖା ହାରିବା ପରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଫଳାଫଳ ଘୋଷଣା ସରିଥିଲେ ସୁଦ୍ଧା ବିଳମ୍ବରେ ଲେଖା, ସୋସିଆଲ ମିଡ଼ିଆରେ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନବୀନଙ୍କୁ ଧନ୍ୟବାଦରେ ପୋତି ପକାଇଥିଲେ । ନବୀନ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ପରାଜୟ ପାଇଁ ତାଙ୍କର ଯେତିକି ଦୁଃଖ ନଥିଲା, ନବୀନ ତାଙ୍କୁ ଟିକେଟ ଦେଇଥିବାରୁ ସେ ବିଶେଷ ଖୁସି ବୋଲି କହିଥିଲେ ଲେଖା । ଜିତିବା ଯେତିକି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ନବୀନ ଆସ୍ଥା ପ୍ରକଟ କରି ଟିକେଟ ଦେବା ସେତିକି ଗୁରୁତ୍ୱପୂର୍ଣ୍ଣ ।
ସେ କହିଛନ୍ତି, ୨୫ ବର୍ଷ ସୁଶାସନ ସମୟରେ ଲୋକେ ବିଜେଡ଼ିକୁ ବିରୋଧୀ ଆସନରେ ବସାଇଛନ୍ତି । ଯଦି ବିଜେଡ଼ି ସୁଶାସନ କରୁଥିଲା ବୋଲି ଲେଖା ଏବେ ଦାବି କରିଛନ୍ତି, ତେବେ ବିଜେପିରେ ଥିବାବେଳେ କାହିଁକି ନବୀନ ନିବାସ ଆଗରେ ବିକ୍ଷୋପ କରିଥିଲେ ଓ ପୋଲିସ ବଳ ପ୍ରୟୋଗ କରି କାହିଁକି ତାଙ୍କୁ ଉଠାଇ ନେଇଥିଲା । ସେ ସମୟରେ ମଧ୍ୟ ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା, ଯାହା ବେଶ୍ ଟ୍ରୋଲ୍ ମଧ୍ୟ ହୋଇଥିଲା । ଲେଖା ବିଜେପିରେ ଥିବା ସମୟରେ ଯେତିକି ବିରୋଧ କରୁଥିଲେ ବିଜେଡ଼ିରେ ମିଶିଲା ପରେ ବିଜେଡ଼ିକୁ ସେତିକି ପ୍ରଶଂସା କରୁଛନ୍ତି । ଲେଖାଙ୍କର ଏଭଳି ବ୍ୟକ୍ତିତ୍ୱ ପାଇଁ ବୋଧେ ବାଲେଶ୍ୱରବାସୀ ପ୍ରତ୍ୟାଖାନ କରିଥିଲେ ।
ସବୁଠାରୁ ବଡ଼ କଥା ହେଲା, ଲେଖା ଏବେ କେଉଁ କୂଳରେ ହେବେ। ବିଜେପିରେ ଥିବା ସମୟରେ ନେତା ଥାଇଥାନ ଯୋଜନାରେ ତାଙ୍କୁ ଭାରତ ସରକାରଙ୍କ ଅଧିନରେ ଥିବା ଏକ କମ୍ପାନୀର ଡ଼ାଇରେକ୍ଟର ହୋଇ ମୋଟା ଅଙ୍କର ଦରମା ମଧ୍ୟ ନେଉଥିଲେ । ବିଜେଡ଼ିର ଶୋଚନୀୟ ପରାଜୟ ପରେ ଲେଖା କେଉଁ ପ୍ରକାର ସୁବିଧା ପାଇବେ ଓ କେଉଁ ପଦପଦବୀରେ ରହିବେ? ଲେଖାଙ୍କର ଦୋମୁହାଁ ନୀତି ଆଜି ତାଙ୍କୁ ମଝିଦାଣ୍ଡରେ ଛିଡ଼ା କରେଇଦେଇଛି । ଚୋର ମାଆ ଲୁଚେଇ ଲୁଚେଇ କାନ୍ଦିବା ଭଳି ଲେଖାଙ୍କର ଅବସ୍ଥା ହେଲେ ବି ଉପରେ ଉପରେ ବିଜେଡ଼ି ପାଇଁ ଦିପଦ ନକହିଲେ, କାଳେ ନିମକହାରମ ହୋଇଯିବେ, ତେଣୁ ସେ ଏବେ ମୁହଁ ଖୋଲିଛନ୍ତି ।