କେନ୍ଦୁଝର: ୨ ଘଣ୍ଟାର ଅପେରେସନ୍ ପରେ ଉଦ୍ଧାର ହେଲା ହାତୀଛୁଆ।
ଗତକାଲି ରାତିରୁ ପଥର ଖୋଲ ଭିତରେ ଫସି ରହିଥିବା ହାତୀ ଛୁଆଟିକୁ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭାଗ । ବନ ବିଭାଗ ଏବଂ ଗାଁ ଲୋକଙ୍କ ମିଳିତ ସହଯୋଗରେ ଦୀର୍ଘ ଦୁଇ ଘଣ୍ଟାର ଅପେରେସନ୍ ପରେ ହାତୀ ଛୁଆଟିକୁ ଉଦ୍ଧାର କରିବାରେ ସଫଳ ହୋଇପାରିଛି ବନ ବିଭାଗ । ଉଦ୍ଧାର ପରେ ହାତୀ ଛୁଆଟିକୁ ତା ମା ପାଖରେ ପହଂଚାଇବା ପାଇଁ ବନ ବିଭାଗ ଚଳାଇଛି ଚେଷ୍ଟା ।
କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧିନସ୍ଥ ଦେଓବନ୍ଦ ବିଟ୍ ଅଧିନରେ ୧୩ଟିକିଆ ହାତୀପଲ ଗତକାଲି ବୁଲୁଥିବାର ନଜର ରଖିଥିଲା ବନ ବିଭାଗ । ୧୩ଟିକିଆ ଦଳରୁ ୨ ଟି ହାତୀ ଭାଗ ହୋଇଯିବା ପରେ ବାକି ୧୧ଟି ହାତୀ ବାଲିପୋଖରୀ ବିଟ୍ ଆଡକୁ ରାତାରାତି ଚାଲି ଆସିଥିଲେ । ବନ କର୍ମଚାରୀ ଏହି ହାତିପଲ କୁ ବାଲିପୋଖରୀ ନିକଟସ୍ଥ ରେଲଓ୍ବେ ଲାଇନ୍ ପାର କରିଦେଇଥିଲେ । ତେବେ କାଳିମାଟି ଗାଁ ନିକଟବର୍ତୀ ବଣମୁଣ୍ଡା ଜଙ୍ଗଲ ନିକଟରେ ଥିବା ଏକ ପଥର ଖୋଲ ଝରଣା ରେ ଦୁର୍ଭାଗ୍ୟବସତଃ ଖସି ପଡିଥିଲା ଏକ ହାତୀ ଛୁଆ । ହାତିଛୁଆ ଟିର ଗର୍ଜନ ଶୁଣି ଗାଁ ଲୋକେ ଜଙ୍ଗଲକୁ ଯାଇ ହାତୀ ଛୁଆଟି ଏକ ପଥର ଖୋଲରେ ଫସିଥିବା ଦେଖିବାକୁ ପାଇଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା । ତାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
ପାଖ ଗାଁରୁ ଏକ ଦଉଡି ଆଣି ଗାଁ ଲୋକ ଏବଂ ବନ ବିଭାଗ କର୍ମଚାରୀ ମିଳିତ ଭାବେ ୧୦ ରୁ ୧୨ ଜଣିଆ ଏକ ଟିମ୍ ହୋଇ ଦୀର୍ଘ ଦୁଇ ଘଣ୍ଟା ପରେ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉପରକୁ ଆଣିବା ପରେ ହାତୀ ଛୁଆଟିକୁ ପ୍ରଥମେ ନିକଟସ୍ଥ ନଦିରୁ ପାଣି ପିଆଇଥିଲେ । ପରେ ବନ କର୍ମଚାରୀ ହାତୀ ଛୁଆ ଟିକୁ ତାଙ୍କ ଦଳରେ ଛାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି ।