ଲୋକତନ୍ତ୍ର (ବ୍ୟୁରୋ) : ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏଥି ପାଇଁ ସରକାର, ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ରଥଯାତ୍ରା ପାଇଁ ବ୍ୟାପକ ପୁଲିସ ଫୋର୍ସ ନିଯୁକ୍ତ ହେବେ। ସେହିପରି ୯୦ ଜଣ ମାଜିଷ୍ଟ୍ରେଟ୍ ନିଯୁକ୍ତ ହେବେ। ତହସିଲଦାର, ବିଡିଓ, ପୌର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଦାୟିତ୍ବ ମିଳିବ।
ଅନ୍ୟପଟେ ଚଳିତ ଥର ରାଜ୍ୟରେ ସରକାର ବଦଳିଛି। ଏହା ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନିଆଯାଉଛି । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୪ ପାଇଁ ସରକାର ଏକ ବଡ଼ ଦାୟିତ୍ବ ହାତକୁ ନେଇଛନ୍ତି। ମହାପ୍ରଭୁଙ୍କ ଏହି ଦିବ୍ୟ ଓ ଭବ୍ୟ ଯାତ୍ରାରେ ଏଥର କେତେ ଭକ୍ତଙ୍କ ସମାଗମ ହେବ ସେନେଇ ଗଣତି କରାଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଗଣମାଧ୍ୟମକୁ କହିଥିବା ସୂଚନା ମିଳିଛି।
ଶ୍ରୀମତୀ ପରିଡ଼ା କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ତିନିଟି ମୁଖ୍ୟ ମାର୍ଗ (ଭୁବନେଶ୍ବର-ପୁରୀ, କୋଣାର୍କ-ପୁରୀ ଓ ବ୍ରହ୍ମଗିରି-ପୁରୀ) ରାସ୍ତାରେ ଭକ୍ତଙ୍କ ଗଣତି ପାଇଁ ବ୍ୟବସ୍ଥା କରାଯିବ। ଏହି ତିନି ରାସ୍ତାରେ ଦେଇ ପୁରୀକୁ ଯାଉଥିବା ବସ୍, କାର, ଅଟୋ ଓ ବାଇକକୁ ଆଧାର କରି ଲୋକଙ୍କ ଗଣତି କରାଯିବ।
ସେହିପରି ପୁରୀର ହୋଟେଲ, ଲଜ୍, ଧର୍ମଶାଳା, ମଠଗୁଡ଼ିକରେ ମଧ୍ୟ ଗଣତି କରାଯିବ। ପୁରୀକୁ ଟ୍ରେନ୍ରେ କେତେ ଭକ୍ତି ଆସିଛନ୍ତି ତାହା ମଧ୍ୟ ହିସାବକୁ ନିଆଯିବ।ସୂଚନାଯୋଗ୍ୟ, ପୁରୀ ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ। ଶ୍ରୀମନ୍ଦର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ଲୋକଙ୍କର ଭିଡ଼ ଲାଗି ରହିଥାଏ। କେବଳ ବଡ଼ଦାଣ୍ଡକୁ ବାଦ୍ ଦେଲେ ପୁରୀ ସହରର ଗଳିକନ୍ଦି ଓ ସମୁଦ୍ର କୂଳରେ ମଧ୍ୟ ଲୋକାରଣ୍ୟ ହୋଇଥାଏ। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କର ଭିଡ଼, ୧୫ ଲକ୍ଷ ଲୋକଙ୍କ ସମାଗମ, ୧୦ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼, ପୁରୀ ଦଣ୍ଡ ଲୋକାରଣ୍ୟ ଏଭଳି ସିରୋନାମା ଦେଇ ଖବରକାଗଜ, ଟେଲିଭିଜନ ଓ ଡିଜିଟାଲ ମିଡିଆରେ ଖବର ପ୍ରକାଶ ପାଇଥାଏ। କିନ୍ତୁ ରଥଯାତ୍ରାରେ କେତେ ଲୋକଙ୍କର ଭିଡ଼ ହୋଇଥାଏ, ତାହା ସଠିକ ଭାବେ ଗଣତି କରିବା ସମ୍ଭବ ନୁହେଁ। କିନ୍ତୁ ସରକାର ଏହି କାମକୁ ସଫଳ ରୂପ ଦେବା ପାଇଁ ପଦକ୍ଷେପ ନେଉଛନ୍ତି।