"ଙ"ର ଦୁଃଖ (ଶିଶୁ କବିତା)
********************
ବ୍ୟଞ୍ଜନ ବର୍ଣ୍ଣର
ପଞ୍ଚମ ସ୍ଥାନରେ
' ଙ' ଅକ୍ଷର ଟି ଥାଇ,
ଦଶମ ସ୍ଥାନର
'ଞ ' କୁ କହିଲା
ବଡ଼ ଦୁଃଖ କଥା ଭାଇ।
ଏତେ ଗୀତ ଗପ
ପିଲାଏ ପଢ଼ନ୍ତି
କେଉଁଠାରେ ଆମେ ନାହେଁ,
ଭାଗ୍ୟ ମନ୍ଦ ଆମ
କାହାକୁ କହିବା
ବିକଳରେ ତୋତେ ଚାହେଁ।
ସ୍ୱର ବର୍ଣ୍ଣ ଦେହୁଁ
ଦୀର୍ଘ 'ୠ ' ଆଉ
'ଲୁ ' କାହିଁ ଉଡ଼ିଗଲା,
ବ୍ୟଞ୍ଜନ ବର୍ଣ୍ଣର '
'ବ ' ସ୍ଥାନଟିରେ
'ୱ ' ଖଞ୍ଜି ହୋଇଗଲା।
ଅକ୍ଷର ଭିତରେ
ଭାଗ୍ୟହୀନ ଆମେ
ଅଜଣାରେ ରହିଥାଉ,
ଦିନ ଆସିଯିବ
ଆମେ ଉଡ଼ିଯିବା
ନ ରହିବ ଆମ ଭାଉ।
' ଞ' ହସିଦେଇ
କହିଲା ବୋକାଟେ
ଆମେ ପରା ମୂଳ ମଞ୍ଜି,
ଆମେ ନ ରହିଲେ
ଯୁକ୍ତାକ୍ଷର ଯେତେ
ସହଜରେ ଯିବେ ହଜି।
ଆମ ପରି ମଧ୍ୟ
ମନୁଷ୍ୟ ଅଛନ୍ତି
ଜଣା ଅଜଣାରେ ଗୁଣୀ,
ଜାମା ଯୋଡ଼ ଦେଖି
ଚିହ୍ନି କି ପାରିବା
କିଏ ମୁର୍ଖ କିଏ ଜ୍ଞାନୀ।
ସେହିପରି ଆମେ
ସବୁଠାରୁ ବଡ଼
ଉପରକୁ ଦିଶେ ନାହିଁ,
ଆମେତ ନଥିଲେ
ସାହିତ୍ୟ ଅଧୁରା
ଦୁଃଖ କରୁ କାହିଁ ପାଇଁ।
' ଞ ' କଥା ଶୁଣି
' ଙ୍ ' ବୁଝି ଗଲା
କାହାର ଗରିମା କେତେ,
'ହଳନ୍ତ୍ ' କୁ ଧରି
ନାଚି ନାଚି କହେ
ଚିହ୍ନ ଚିହ୍ନ ଥରେ ମୋତେ।
**********************
ଡ. ଚପଳା ପଣ୍ଡା,ଶିକ୍ଷୟିତ୍ରୀ
(ବୃତ୍ତି ନିବୃତ୍ତ),ଖୋର୍ଦ୍ଧା.
୯୪୩୭୪୨୧୮୧୬.