ଲୋକତନ୍ତ୍ର (ବ୍ୟୁରୋ) : ତାତିରେ ଫୁଟୁଛି ଓଡ଼ିଶା, ଆଉ ଜଳୁଛି ରାଜଧାନୀ ଭୁବନେଶ୍ୱର। ଗତକାଲି ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । ୪୦ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ଥିଲା ଭୁବନେଶ୍ୱରରେ । ପାରଳାଖେମୁଣ୍ଡିରେ ୪୨ଦଶମିକ ୬, ତାଳଚେର ୪୨ଦଶମିକ ୪, ମାଲକାନଗିରି ଓ ବୌଦ୍ଧରେ ୪୨ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳରେ ୪୨ଦଶମିକ ୧ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ତାପମାତ୍ରା ୪୨ଡିଗ୍ରୀ ରେକର୍ଡ କରାଯାଇଛି।
ଦେଶ ଭିତରେ ନୁହେଁ ବରଂ ପୁରା ଏସିଆ ମହାଦେଶର ୧୦ଟି ଉତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିଛି।
ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି । ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି । ଭାରତର ନନ୍ଦୟାଲ ସହର ୪୩ ଦଶମିକ ୭ ଡିଗ୍ରୀ ସହ ଚତୁର୍ଥ, କୁର୍ନୁଲ ୪୩ ଦଶମିକ ୫ ଡିଗ୍ରୀ ସହ ସପ୍ତମ, ଗୁଲବର୍ଗ ୪୩ ଦଶମିକ ୩ ଡିଗ୍ରୀ ଏବଂ ଅନନ୍ତପୁର ୪୩ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ମିଳିଛି।