ଲୋକତନ୍ତ୍ର (ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ଓ ବିଜେପିର ବିପୁଳ ବିଜୟ ପରେ ଉଭୟ ଉଭୟଙ୍କ କାମରେ ଲାଗିପଡ଼ିଛନ୍ତି । ବିଜେଡ଼ିର ପରାଜୟ କାହିଁକି ଘଟିଲା, ଦଳ ତର୍ଜମା କରିବା ସହ ଘର ସଜାଡ଼ିବାକୁ ପ୍ରୟାସ ଜାରି ରଖିଛି । ଦଳର ଅଭିଜ୍ଞ ନେତାମାନେ ଏହାର କାରଣ ଖୋଜିଲେ ବି ଖୋଜି ପାଉନାହାନ୍ତି । ଏଭଳି ପରାଜୟକୁ ସାମ୍ନା ବିଜେଡ଼ି କରିପାରିନାହିଁ । ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଏଭଳି ପରାଜୟ ବରଣ କରିବେ ଓ ରାଜ୍ୟବାସୀ ତାଙ୍କୁ ସହଜରେ ପ୍ରତ୍ୟାଖାନ କରିବେ । ସବୁପରେ ବି ବିଜେଡ଼ି ବର୍ତ୍ତମାନ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନବୀନଙ୍କ ପ୍ରତି ଦରଦ ଦେଖାଇ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭାବମୂର୍ତ୍ତିକୁ ପ୍ରଚାର କରିବା ସହ ଦର୍ଦ ଭରା ଅନେକ ଦୁଃଖିଲା ଭିଡ଼ିଓ ଅପଲୋଡ଼ କରି ଦଳର ଭାବମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରାଣପ୍ରଣେ ପ୍ରୟାସ କରୁଛନ୍ତି । ନବୀନ ଜଣେ ନିର୍ମଳ ଭାବମୂର୍ତ୍ତିର ମଣିଷ ଓ ଓଡ଼ିଶା ପାଇଁ ସେ ଅନେକ କାମ କରିଛନ୍ତି, ତାଙ୍କୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରି ଭୁଲ କରିଛନ୍ତି ବୋଲି ଭଳିକିଭଳି ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଛି।
ସାଧାରଣ ଲୋକଙ୍କ ଇମୋସନଙ୍କ ସହ ଖେଳି ଏଭଳି ଭିଡ଼ିଓ ପ୍ରସ୍ତୁତ କରାଯାଇଛି, ଜଣେ ସାଧାରଣ ଲୋକ ଦେଖିବା ପରେ ଯେମିତି ଅନୁଭବ କରିବ, ନବୀନଙ୍କୁ ଓଡ଼ିଶାରୁ ହଟାଇ ବାସ୍ତବରେ ଭୁଲ ହୋଇଯାଇଛି । ଏଭଳି ଭୁଲ୍ ଆଉ କେବେ କରିବେ ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦଳ ଏଥର ତୃଣମୂଳରୁ ପୁଣିଥରେ ସଶକ୍ତ ହେବାକୁ ଚେଷ୍ଟା କରୁଛି । ହାର-ଜିତର କାରଣ ଖୋଜିବା ସହ ଅଚାନକ ପରାଜୟରେ କେଉଁମାନେ ଘାତକ ସାଜିଛନ୍ତି, ତାଙ୍କର ଠିକଣା ମଧ୍ୟ ଖୋଜା ଚାଲିଛି । ଦଳ ମଧ୍ୟରେ ରହି କେଉଁମାନେ ଆତ୍ମଘାତୀ କାର୍ଯ୍ୟ କରି ଦଳକୁ ଏଭଳି ପରାଜୟ ମୁହଁକୁ ଠେଲି ଦେଇଛନ୍ତି, ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଦଳର କିଛି ନେତା ପୁଣିଥରେ ବିଜେଡ଼ିକୁ ଲୋକଙ୍କ ବିଶ୍ୱାସଭାଜନ କରିବାକୁ ଚେଷ୍ଟା ଜାରି କରିଛନ୍ତି । ନବୀନଙ୍କ ପୁତୁରା ଅରୁଣଙ୍କୁ ଆଣି ଏହି ମୌକାରେ ସୁଯୋଗ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଠିକ୍ ସେହିଭଳି ବିଜେପି ମଧ୍ୟ ଓଡ଼ିଶାରେ ଦୁର୍ନୀତି ସହିତ ସଂପୃକ୍ତି ଥିବା ନେତାଙ୍କୁ ଟାର୍ଗେଟରେ ନେଇଛି। ସେମାନେ କେତେ ଖାଇଛନ୍ତି ଓ କେତେ ପୋତା ଧନ ରଖିଛନ୍ତି, ତାହାର ହିସାବନିକାଶ କରିବାକୁ ଅଣ୍ଟା ଭିଡ଼ିଲାଣି ବିଜେପି । ସେମାନଙ୍କ ବିରୁଦ୍ଧରେ ଅର୍ଥନୈତିକ ଅପରାଧ ଆଇନ ବ୍ୟବହାର କରି ସେମାନଙ୍କ କଳାଧନ ବାହାର କରି ଅଳିଆ ସଫା କରିବାକୁ ଚେଷ୍ଟା କରୁଛି ବିଜେପି ।
ବିଜେଡ଼ିର ଦୀର୍ଘଦିନର ଶାସନ ଫଳରେ ସବୁଯାକ ନେତା ଅନୈତିକ ଉପାୟରେ ଅର୍ଜନ କରିଥିବା ପାଣ୍ଠିକୁ ବିଜେପି ଖୋଳତାଡ଼ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା ଜାରି ରଖିଛି । ଯେଉଁ ବିଜେଡ଼ି ନେତାମାନେ ଉପରେ ଅଧିକ ହୋହାଲ୍ଲା କରୁଥିଲେ, ଭିତରେ ଯାହା ପାଉଥିଲେ ଅଣ୍ଟିରେ ପୂରାଉ ଥିଲେ, ସେମାନଙ୍କୁ ଟାର୍ଗେଟ ନେଇଛି ବିଜେପି । ଅନେକ ନେତା ଖଣି ଖାଦାନ ଠାରୁ ଆରମ୍ଭ କରି ଜମିଜମା ଲୁଟ୍ କରି ବଡ଼ଲୋକୀ ଦେଖାଉଥିଲେ, ସେମାନଙ୍କ ପାଇଁ ବିଜେପି କଣ୍ଟା ସାଜିବାକୁ ଯାଉଛି । ଓଡ଼ିଶା ରାଜନୀତିର ସମୀକରଣ ଏମିତି ହୋଇଛି, ଗୋଟେପଟେ ବିଜେଡ଼ି ଘର ସଜାଡ଼ିଲା ବେଳେ, ଅନ୍ୟପଟେ ବିଜେପି ଅଳିଆ ସଫା କରିବାକୁ ସଜବାଜ ହୋଇସାରିଲାଣି ।