ଲୋକତନ୍ତ୍ର (ବ୍ୟୁରୋ) : ରାଜ୍ୟରେ ବିଜେପି ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବିଜେଡ଼ି ମଧ୍ୟ ବିଜେପିକୁ ଟାର୍ଗେଟ ନେଇଛି । ବିଜେପି ସରକାର କିଭଳି ଭାବରେ ବଦନାମ ହେବ, ସେଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଆକ୍ଟିଭ ରହି ବିଜେପି ବିରୁଦ୍ଧରେ ନାନାପ୍ରକାର କୁତ୍ସାରଟନା କରିବା ସହ ଦଳୀୟକର୍ମୀଙ୍କୁ ଏ ଦିଗରେ କାମରେ ଲଗାଇଛି । ଲୋକଙ୍କ ମନ ଭିତରେ ବିଜେପି ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ରଣକୌଶଳ ପ୍ରସ୍ତୁତ କରିଛି ବିଜେଡ଼ି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ହେଉ ଅବା ଧାନର ମୂଲ୍ୟ ବୃଦ୍ଧି ହେଉ, ସବୁଥିରେ ବିଜେପିକୁ ଦୋଷାରୋପ କରିଛି ବିଜେଡ଼ି । ଯଦିଓ ସିଧାସଳଖ ଭାବରେ ନୁହେଁ ବିଭିନ୍ନ ସୋସିଆଲ ମିଡ଼ିଆ ବ୍ୟବହାର କରି ଲୋକଙ୍କ ମନ ଭିତରେ ବିଜେପି ବିରୋଧରେ ବିଷ ଭରୁଛି ବିଜେଡ଼ି । ବିଜେଡ଼ିର ପରାଜୟ ପରେ ମନ ଭିତରେ ପୁରୁଣା ଦମ୍ଭ ରହିଛି । ରହିବା ମଧ୍ୟ ସ୍ୱାଭାବିକ ।
ବିଜେଡ଼ିର ଭୋଟ ହାର ଏତେ କମି ନଥିବାବେଳେ ବିଏମ୍ସି, ସିଏମ୍ସି ସମେତ ଅଧିକାଂଶ ମ୍ୟୁନିସିପାଲିଟି ବିଜେଡ଼ି ହାତରେ ରହିଥିବାବେଳେ ପଞ୍ଚାୟତ ଓ ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସେମାନଙ୍କ କବ୍ଚାରେ ରହିଛି । ବିଜେଡ଼ି ଏସବୁକୁ ବଳ କରି ପଞ୍ଚାୟତ ନିର୍ବାଚନରେ ଭଲ ରେଜଲ୍ଟ କରିବାକୁ ଆଶା କରିଛି । ବିଜେଡ଼ି ଯଦି ପଞ୍ଚାୟତ ନିର୍ବାଚନରେ ଭଲ କରେ, ୨୦୨୯ ବେଳକୁ ବିଜେପି ହଟାଇବା ପାଇଁ କିଛି ଅଡ଼ୁଆ ହେବନାହିଁ ବୋଲି ସେଭଳି ରଣନୀତି ପ୍ରସ୍ତୁତ କରିଛି । ଏହି ଆଶାରେ ବିଜେଡ଼ି ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରିନାହିଁ । ଏଣୁ ବିଜେପିକୁ କିଭଳି ଓଡ଼ିଶାରେ ଟକ୍କର ଦେଇ ବଦନାମ କରିବ, ସେହି ଲକ୍ଷ୍ୟରେ ସୋସିଆଲ ମିଡ଼ିଆରେ ବିଜେପି ପ୍ରତି ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛି । ଏଇ କିଛିଦିନ ହେବ ଯେଭଳି ଭାବରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି, ଏହାକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରଚ୍ଛଦରେ ରହି ହାଲା ଚିଲ୍ଲା କରୁଛି।
ବିଜେଡ଼ିର ସିଧାସଳଖ ସଂପୃକ୍ତି ନଥିଲେ ମଧ୍ୟ ବିଜେଡ଼ିର ଫଣ୍ଡିଂରେ ଚାଲିଥିବା ଏଜେନ୍ସି ଗୁଡ଼ିକ ବିଭିନ୍ନ ସର୍ଟ ଭିଡ଼ିଓ, ଗ୍ରାଫିକ୍ସ, କାର୍ଟୁନ ଓ ପୁରୁଣା ଭିଡ଼ିଓକୁ ଟ୍ରୋଲ କରି ପ୍ରତିଶୋଧ ନେବାକୁ ପ୍ରୟାସ କରିଛି । ଏହା ମଧ୍ୟ ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି । ବିଜେପି ଯଦି ବିଜୟ ଖୁସିରେ ଏସବୁ ପ୍ରତି ଧ୍ୟାନ ନଦିଏ, ପରବର୍ତ୍ତୀ ମୁହୁର୍ତ୍ତରେ ଏସବୁ ମହଙ୍ଗା ପଡ଼ିପାରେ ।