୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ପ୍ରଶଂସାକୁ ସହି ପାରିଲେନି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ନୂଆ କଥା ନୁହେଁ। ଏଠି କେବେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼େ ତ କେବେ ରୋହିତ ପୂଜାରୀଙ୍କ ଭଳି ସିଧା ସଳଖ ସସପେଣ୍ଡ କରିଦିଆ ଯାଏ।
ହେଲେ ଏଥର ମୁହାଁମୁହିଁ ହୋଇଛନ୍ତି ସୁପର ସି.ଏମ ଭାବେ ପରିଚିତ ୫ଟି ସଚିବ ଭି. କେ ପାଣ୍ଡିଆନ ଓ ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଘଟଣା ହେଲା ଗତ ନିର୍ବାଚନରେ ବିଜେପି ଛାଡି ଶଙ୍ଖ ଧରିଥିବା ଜଟଣୀ ନିର୍ବାଚନ ମଣ୍ଡଳୀର ନେତା ସନ୍ତୋଷ ଜେନାଙ୍କ ଗତକାଲିର ଫେସବୁକ ପୋଷ୍ଟ। ବର୍ତ୍ତମାନ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଥିବା ସନ୍ତୋଷ ବାବୁ ନିଜ ଆନୁଗତ୍ୟର ପରାକାଷ୍ଠା ପ୍ରମାଣ କରିବା ପାଇଁ ୫ଟି ସଚିବ ଭି. କେ ପାଣ୍ଡିଆନ ଓ ତାଙ୍କ ଧର୍ମପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏକ ଗ୍ରାଫିକ୍ସ ଶେୟର କରିଥିଲେ।
ଗ୍ରାଫିକ୍ସ ସହିତ ପ୍ରଶଂସାରେ ଭରପୁର ଏକ କ୍ୟାପ୍ସନ ମଧ୍ୟ ଲେଖିଥିଲେ। ପାଣ୍ଡିଆନ ଦମ୍ପତିଙ୍କ ପାଇଁ କର୍ମ ହିଁ ଆରାଧନା। ସମର୍ପିତ କାର୍ଯ୍ୟନୀତି ହିଁ ପ୍ରତିବଦ୍ଧତା। ଓଡ଼ିଶାର ଉନ୍ନତି ଓ ପ୍ରଗତି ପାଇଁ ସେମାନେ ଉତ୍ସର୍ଗୀକୃତ। ଦୁଇ ଜଣଙ୍କୁ 'ବରେଣ୍ୟ ଓ ମାନନୀୟ' ଶବ୍ଦରେ ସମ୍ବୋଧିତ କରିବା ସହ ସେମାନଙ୍କ କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ସାଧୁବାଦ ପ୍ରଦାନ କରିଥିଲେ। ପାଣ୍ଡିଆନ ଦମ୍ଫତ୍ତିଙ୍କ କାର୍ଯ୍ୟ ସମଗ୍ର ଓଡିଶାବାସୀଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ।
ଅନ୍ୟପଟେ ନିଜକୁ କ୍ରୀତଦାସ କହିବା ପରେ ବି ପାଣ୍ଡିଆନଙ୍କ ଦ୍ଵାରା ପ୍ରାୟ ତିନି ମାସ ହେଲା କୋଣଠେସା ହୋଇଥିବା ବବି ଦାସ, ସନ୍ତୋଷଙ୍କ ଏଭଳି 'ପାଣ୍ଡିଆନ ସ୍ମୃତିଚାରଣ' ଆଦୌ ସହି ପାରି ନାହାନ୍ତି। ସେ ପୋଷ୍ଟଟିକୁ ତୁରନ୍ତ ଡିଲିଟ କରିବା ପାଇଁ ଆଦେଶ ଦେଇଛନ୍ତି।
ଏମିତିରେ ବି ଆମଦାନୀ ନେତା ହୋଇଥିବାରୁ ସନ୍ତୋଷଙ୍କୁ ଅଦ୍ୟାବଧି ବିଜେଡିର ସ୍ଥାନୀୟ ନେତୃତ୍ୱ ଗ୍ରହଣ କରି ପାରି ନାହାନ୍ତି। ସେ ଜଟଣୀରୁ ବିଧାୟକ ଟିକଟ ନେବାର ଆଶା ରଖିଥିବା ବେଳେ ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ସମାନ ଲକ୍ଷ୍ୟ ରଖିଛନ୍ତି। ସୂତ୍ର ଅନୁଯାୟୀ ବିଭୂତି ହିଁ ବବି ଦାଶଙ୍କୁ ସନ୍ତୋଷଙ୍କ ପୋଷ୍ଟ ବାବଦରେ ଅଭିଯୋଗ କରିଥିଲେ। ତେବେ ସଙ୍ଗଠନ ସମ୍ପାଦକଙ୍କ ଠାରୁ ଆଦେଶ ପାଇବା ମାତ୍ରେ ସନ୍ତୋଷ ପୋଷ୍ଟଟିକୁ ଅବିଳମ୍ବେ ଡିଲିଟ କରିଦେଇଛନ୍ତି। ଏ ବିଷୟରେ କେହି ବି ପଚାରିଲେ ସନ୍ତୋଷ କିଛି ନଜାଣିଲା ପରି ଭୁଲରେ ଡିଲିଟ ହୋଇଛି ବୋଲି କହୁଛନ୍ତି।
ରାଜ୍ୟରେ ପ୍ରଥମ ଥର ପାଣ୍ଡିଆନ ଦମ୍ଫତ୍ତିଙ୍କ ଏଭଳି ମିଳିତ ଗ୍ରାଫିକ୍ସ ପୋଷ୍ଟ ହୋଇଥିବା ବିଷୟ ପୁରା ଦଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ୫ଟି ସଚିବ ସାରା ରାଜ୍ୟ ବୁଲି ନୂଆ ନୂଆ ଘୋଷଣା କରୁଥିବା ବେଳେ ବବି ବାବୁ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ଦେଖା ଯାଉଛନ୍ତି। ଇତି ମଧ୍ୟରେ ସନ୍ତୋଷ ଏଭଳି ପୋଷ୍ଟ କରିବା ଏବଂ ପୁଣି ବବି ଦାଶଙ୍କ ନିର୍ଦେଶ କ୍ରମେ ତୁରନ୍ତ ଡିଲିଟ କରିବା ପାଣ୍ଡିଆନ-ବବି କନ୍ଦଳକୁ ପଦାରେ ପକାଇ ଦେଇଛି।
ପ୍ରଶ୍ନ ଉଠୁଛି ସାରା ରାଜ୍ୟରେ ପ୍ରଥମେ ସନ୍ତୋଷ ହିଁ କାହିଁକି ପାଣ୍ଡିଆନ ଦମ୍ଫତ୍ତିଙ୍କ ଗ୍ରାଫିକ୍ସ ପୋଷ୍ଟ କରିଥିଲେ? ଏହା କାହାର ନିର୍ଦେଶ ଥିଲା? ଯଦି ପାଣ୍ଡିଆନଙ୍କ ନିର୍ଦ୍ଦେଶ ଥିଲା ତାହାଲେ ବବି କଣ ପାଇଁ ହସ୍ତକ୍ଷେପ କଲେ? ଦଳରେ କାହାର ଆଦେଶ ବଡ଼ ? ୫ଟି ସଚିବ ପାଣ୍ଡିଆନଙ୍କର ନା ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କର? ଏ ଦୁଇ ଜଣ ଆଉ ଏକାଠି ନାହାନ୍ତି କି?
ଉତ୍ତର ଆପଣ ଖୋଜନ୍ତୁ। ଆମେ ମଧ୍ୟ ଖୋଜୁଛୁ। ଜୟ ଜଗନ୍ନାଥ।