ଲୋକତନ୍ତ୍ର (ବ୍ୟୁରୋ) : କଟକ ଦଶହରାରେ ମା'ଙ୍କ ସୁନା ଚାନ୍ଦି ମେଢ଼ ପରେ ଚଳିତ ବର୍ଷ ସୁନାର ଦୋଳ ବିମାନ ଦେଖିବାକୁ ପାଇବେ ଭକ୍ତ। ଏବେ ବିମାନରେ ଦେଖିବାକୁ ମିଳିବ ସୁନା କାରିଗରୀର ଝଲକ ।
କଟକ ଅଲିଶା ବଜାରର ତାରକସୀ କାରିଗର ପ୍ରଦୀପ କୁମାର ପୃଷ୍ଟି ଲାଗିପଡିଛନ୍ତି ସୁନା ଦୋଳ ବିମାନ କାମରେ । ଅଢେଇ କେଜି ସୁନାରେ ତିଆରି ହେଉଥିବା ଏହି ବିମାନରେ ଖଂଯା ଯାଉଛି ସୁନା । ଅତି ସୂକ୍ଷ୍ମ କାରୁକାର୍ଯ୍ୟ ସବୁ କରାଯାଉଛି । ଏଥିପାଇଁ ଲାଗିପଡିଛନ୍ତି ୪ରୁ ୫ ଜଣ କାରିଗର । ଏବେ ବିମାନର ତଳ ପାଖ କାମ ସରିଥିବା ବେଳେ ଆସନ୍ତା ବର୍ଷ ଆହୁରି ଅଧିକ ସୁନାରେ ତିଆରି ବିମାନର ଉପର ଅଂଶ ତିଆରି କରାଯିବ ବୋଲି ସୂଚନା ମିଳିଛି ।
କଟକ କାଠଗଡା ସାହି ମଦନ ମୋହନ ଜିଉ ପୂଜା କମିଟି ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଉଛି ସୁନାର ଦୋଳ ବିମାନ । ଆସନ୍ତା ୨୫ ତାରିଖରେ ଦୋଳ ପୁର୍ଣ୍ଣିମା ଥିବା ବେଳେ ପୂର୍ବରୁ ବିମାନ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖିିଛି କମିଟି । ମୋଟ ଅଢେଇ କିଲୋ ସୁନାର ବ୍ୟବହାର କରାଯାଇଛି । ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ରହିଛି ।
ଅନ୍ୟପଟେ ନୂଆ ରୂପ ନେଉଛି ଦୋଳବେଦି। ଫଳରେ ଏଥର ଦୋଳପୂର୍ଣ୍ଣିମାରେ ଭକ୍ତମାନେ ଦୋଳବେଦିର ନବକଳେବର ଦେଖିପାରିବେ। ଦୋଳବେଦି ପୂର୍ବରୁ ରଙ୍ଗ ଆଉ ଚୂନ ପଲସ୍ତରା ଭିତରେ ଦିନେ ସମ୍ପୂର୍ଣ୍ଣ ଲୁଚିଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ହେବା ସହ ଦୋଳବେଦିର ପୁନରୁଦ୍ଧାର କରାଯାଉଛି।
ଦୋଳବେଦି କାନ୍ଥରୁ ଉଦ୍ଧାର ହେଉଛି ଖୋଦିତ ବହୁ କୀର୍ତ୍ତିିରାଜି। ସ୍ଥପତିମାନେ ଦୋଳବେଦିକୁ ନୂଆରୂପ ଦେବାପାଇଁ ଲାଗିପଡ଼ିଛନ୍ତି। ଦୋଳବେଦିରେ ଲୁଚିରହିଥିବା କୀର୍ତ୍ତିରାଜିକୁ ନିଖୁଣ ଭାବେ ପୁନରୁଦ୍ଧାର କରାଯାଉଛି। ତେଣୁ ଦୋଳପୂର୍ଣ୍ଣିମାରେ ଭକ୍ତମାନେ ଦୋଳବେଦିର ପୁରାତନ କୀର୍ତ୍ତିରାଜି ଦେଖିପାରିବେ। ଶହଶହ ବର୍ଷ ହେବ ରଙ୍ଗ ଆଉ ଚୂନରେ ଲୁଚି ରହିଥିବା ଯୋଗୁ ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ କୀର୍ତ୍ତିରାଜି ଦର୍ଶନରୁ ବଞ୍ଚତ୍ତ ହୋଇଥିଲେ ଭକ୍ତ। ଏବେ ଦୋଳବେଦି ନିଜସ୍ବ ପରିଚୟ ପାଇବାକୁ ଯାଇଛି। ଦୋଳ ବେଦିରେ କାଳକ୍ରମେ ରଙ୍ଗଲେପନର ଆସ୍ତରଣରେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜିି ପୁଣି ଦୃଶ୍ୟମାନ ହେବ।
ଏପରିକି ଦୋଳବେଦି ଚତୁଃପାଶର୍ବ କାନ୍ଥରେ ଶୋଭା ପାଉଥିବା ପ୍ରାଚୀନ ମୂର୍ତ୍ତି ଉପରେ ଧୂଳିର ମୋଟା ଆସ୍ତରଣ ବସିଯାଇଥିବାବେଳେ ଏବେ ମୂର୍ତ୍ତିରାଜିକୁ ନୂଆ ଜୀବନ ଦିଆଯାଉଛି। ମୂର୍ତ୍ତିକୁ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ କରାଯାଉଛି। ପ୍ରସ୍ତର ନିର୍ମିତ ଏହି ମୂର୍ତ୍ତିି ଯେଭଳି ନଷ୍ଟ ନ ହେବ ସେନେଇ ଧ୍ୟାନ ଦିଆଯାଉଛି।